Unknown

 

 

 

 

 

 

 

 

 

ନବଘନ ଚଉତିଶା

ଭକ୍ତକବି ଦୀନକୃଷ୍ଣ ଦାସ

 

(କବିଙ୍କ ପ୍ରତ୍ୟେକ ଚଉତିଶା ରାଧାକୃଷ୍ଣ ଭକ୍ତି ରସ ଉପରେ ଆଧାରିତ । ଗୋପପୁର ଛାଡ଼ି କୃଷ୍ଣ ମଥୁରା ଚାଲିଯିବା ପରେ ଉଭୟ କୃଷ୍ଣ ଓ ରାଧାଙ୍କ ମନରେ ବିରହ ଭାବ ସୃଷ୍ଟି ହୋଇଛି । ଏହି ବିରହ ଭାବକୁ ନେଇ କବି ଯେଉଁ କେତୋଟି ବିରହୀ ଚଉତିଶା ସୃଷ୍ଟି କରିଛନ୍ତି, ତନ୍ମଧ୍ୟରେ ଉକ୍ତ ଚଉତିଶାର ସ୍ଥାନ ସ୍ୱତନ୍ତ୍ର । ମଥୁରାରେ ଅବସ୍ଥାନ କାଳରେ ନୂତନ ମେଘକୁ ଦେଖି କୃଷ୍ଣଙ୍କ ମନରେ ରାଧାଙ୍କ ପ୍ରତି ପ୍ରେମ ଭାବ ଉଚ୍ଛୁଳି ପଡ଼ିଛି । ମେଘ ନିକଟରେ ସେ ନିଜର ବିରହଦଶାକୁ ବର୍ଣ୍ଣନା କରିଛନ୍ତି । ଚଉତିଶାର ପଦ ସରଳ, ସାବଲୀଳ । ଏଥିରେ କବିଙ୍କ ଗଭୀର ପାଣ୍ଡିତ୍ୟ ଓ କବିତ୍ୱ ଫୁଟି ଉଠିଛି ।)

 

(ରାଗ – କାମୋଦୀ)

କୃଷ୍ଣ କଂସ ନବରେ ଜଳଦ ସମୟରେ

କଜ୍ଜ୍ୱଳ ମେଘ ବର୍ଣ୍ଣ ଦେଖି

କରନ୍ତି ଚିନ୍ତା ମନେ କେମନ୍ତେ ମୋ ବିହୁନେ

ବଞ୍ଚିବ କଳାକର ମୁଖୀହେ

ନବଘନ !

କହନ୍ତି ନବଘନ ଚାହିଁ

କିପାଁ ଅଇଲ ମତେ ଦହି

କାମକେଳି କୁଶଳା କଣ୍ଠ-ରତ୍ନ-ମାଳା

ଡୋଳା ପ୍ରତିମା ମୋର ନାହିଁ ହେ

ନବଘନ ।୧।

ଖଞ୍ଜନ-ବିଲୋଚନା ମତ୍ତ-ପିକ-ବଚନା

ଥାଆନ୍ତା ଯେବେ ମୋର କୋଳେ

କ୍ଷଣ କାନ୍ତିକି ଘେନି ଘନ ରସରେ ଦାନୀ

ହୋଇ ଆସନ୍ତୁ ଯେତେବେଳେ ହେ

ନବଘନ !

ଖେଦ ମୋ ଉଦୟେ ନୁହନ୍ତା

କ୍ଷଣକ ସୁଖ କେ କହନ୍ତା

ଖରକାମ ବଇରି ଶର ପ୍ରହାର କରି

କିପାଁ ମୋ ଶରୀରେ ରହନ୍ତା ହେ

ନବଘନ ।୨।

ଗଜଗମନୀ ଗୋରୀ ମୋ ପଞ୍ଚପ୍ରାଣେ ପୂରି

ପାଶରେ ନାହିଁ ମୋର ଯେଣୁ

ଗଜରାଜ ପରାୟେ ଦେଖି ତୁମ୍ଭଙ୍କୁ ଭୟେ

ଜାତ ହେଉଛି ମୋର ତେଣୁ ହେ

ଗର୍ଜ୍ଜନବୃଂହିତ ସମାନ

ଗଳୁଛି ଜଳଧାର ଦାନ

ଶୁଣୁଅଛି ମନରେ ବକପନ୍ତି ଛଳରେ

ପ୍ରକାଶ ହୋଇଛି ଦର୍ଶନ ହେ

ନବଘନ ! ।୩।

ଘେନିବାକୁ ଜୀବନ ଅଇଲ ଘନାଘନ

କାଳ ସ୍ୱରୂପ ଧରିକରି

ଘନବଲ୍ଲୀ ରସନା କରୁଛି ଯେତେ ଅନା

ଏତେ କେହ୍ନେ ଗଲି ମୁଁ ସହି ହେ

ନବଘନ !

ଘନ ଘଡ଼ି ଗର୍ଜ୍ଜନ ଛାଡ଼ି

ଘୋଟି ପଡ଼ୁଛି ମୋତେ ମାଡ଼ି

ଘେନୁ ଅଛି ମୋ ପ୍ରାଣ ପ୍ରାଣ ପାପିଷ୍ଠ ପଞ୍ଚବାଣ

ତୁମ୍ଭର ସଙ୍ଗତରେ ପଡ଼ି ହେ

ନବଘନ ।୪।

 

ଭାବାର୍ଥ- (୧-୪) କୃଷ୍ଣଙ୍କ ମଥୁରା କଟକରେ ଅବସ୍ଥାନ କାଳରେ ବର୍ଷା ୠତୁର ଆଗମନ ଘଟିଛି । କଳାବର୍ଣ୍ଣର ମେଘକୁ ଦେଖି କୃଷ୍ଣ ମନ ମଧ୍ୟରେ ଚିନ୍ତା କଲେ- ମୋ ବିନା ଚନ୍ଦ୍ରମୁଖୀ ରାଧା କିପରି ବଞ୍ଚିବ । ମନର ଏଇ ଭାବନାକୁ ସେ ନୂଆ ମେଘକୁ କହିଛନ୍ତି । ରେ ନବଘନ, ମୋତେ ଦହିବାକୁ କାହିଁକି ଆସିଲୁ ? ମୋ ପାଖରେ ଏବେ କାମକେଳି କୁଶଳା, ଡୋଳା ପ୍ରତିମା ମୋର ନାହିଁ । ହେ ନବଘନ, କଜ୍ଜ୍ୱଳପାତି ନେତ୍ରୀ, ମତ୍ତକୋଇଲି ବଚନା ଯଦି ମୋର କୋଳରେ ଥାଆନ୍ତା, ତୁ ସେତେବେଳେ କ୍ଷଣିକର ତେଜକୁ ନେଇ ଜଳ ବର୍ଷିଥା’ନ୍ତୁ । ମୋ ହୃଦୟରେ ବିରହ ବେଦନା ସୃଷ୍ଟି ହେବ । କ୍ଷଣିକର ସୁଖ କିଏ କହିବ ? କନ୍ଦର୍ପ ଶର ପ୍ରହାର କରି ମୋ ଶରୀରରେ କାହିଁକି ରହିବ ? ଗଜଗାମିନୀ ଗୋରୀ ମୋ ପାଶରେ ନାହିଁ ସତ, ପଞ୍ଚପ୍ରାଣରେ ପୂରି ରହିଛି । ହେ ନବଘନ, ତୁମକୁ ଦେଖିଲେ ଗଜରାଜ ପରି ମନେ ହେଉଛି ଓ ମନରେ ଭୟ ଜାତ ହେଉଛି । ହାତୀର (ବୃଂହତ) ଡାକ ପରି ତୁମର ଗର୍ଜନ, ଜଳ ଧାର ବୃଷ୍ଟି କରୁଛି । ଶୁଣୁଛି, ବକପନ୍ତି ଛଳରେ ଦର୍ଶନ ଇଚ୍ଛା ପ୍ରକାଶ ପାଉଛି । ହେ ନବଘନ, ସତେ ଯେମିତି ଜୀବନ ନେବାକୁ ଏ ବର୍ଷାୠତୁ କାଳ ରୂପ ଧରି ଆସିଛି । ଘଡ଼ଘଡ଼ି ଗର୍ଜନ ମୋତେ ଯେମିତି ମାଡ଼ି ବସୁଛି । ପାପିଷ୍ଠ ପଞ୍ଚଶର ତୁମ ସଙ୍ଗରେ ପଡ଼ି ମୋ ପ୍ରାଣକୁ କଲବଲ କରୁଛି ।

 

ନାଗ ନାଗ ପରାଏ ମନେତ ପ୍ରତେ ହୁଏ

ବିଷ ବିଷ ଛାଡ଼ୁଛି ଯେଣୁ

ନିରନ୍ତରେ ବିଜୁଳି ଛଳେ ରସନା ଛଳି

ଭୟ କରାଉ ଅଛି ତେଣୁ ହେ

ନବଘନ !

ନାଶିବ ମୋ ପ୍ରାଣ ସମୀର

ନିର୍ଣ୍ଣୟେ ହୋଇଛି ତୁମ୍ଭର

ନିଶ୍ଚେ ତୁମ୍ଭଙ୍କୁ ପାଇ ମହା ପ୍ରବଳ ହୋଇ

ଅଛି କାମ ଜାଙ୍ଗଳିକର ହେ

ନବଘନ ।୫।

ଚେତିଲି ଏବେ ରାହୁ ପରାଏ ଚାହୁଁ ଚାହୁଁ

ପୁଷ୍ପବନ୍ତକୁ ଗିଳିଦେଲା

ଚିନ୍ତା ଜଳରେ ସ୍ନାନ କରାଇ ପ୍ରାଣ ଦାନ

କାମ-ବ୍ରହ୍ମେ ଦେବାକୁ କଲା ହେ

ନବଘନ !

ଚିତ୍ତ ତୁମ୍ଭର କି କୁଟିଳ

ଚିହ୍ନ ତ ନାହିଁ ମିତ୍ର କୁଳ

ଚଡ଼କ ଘାତେ ଗିରି ବରକୁ ଚୁର୍ଣ୍ଣ କରି

ଦେଖୁ ଦେଖୁ ମସ୍ତକ ଗିଳି ହେ

ନବଘନ ! ।୬।

କ୍ଷମା କରୁଣା ନାହିଁ ଯମ ସ୍ୱରୂପ ବହି

ଜୀବନ ଘେନିବାର ମୂଳ

ଛାଡ଼ି ପ୍ରାଣବନ୍ଧୁକୁ କହୁଅଛି ତୁମ୍ଭଙ୍କୁ

ଏତେକେ ନ ପ୍ରାଣ ବିକଳ ହେ

ନବଘନ !

କ୍ଷଣକେ କର ଯେଉଁ ଘୋଷ

ଛଡ଼ାଅ ପ୍ରାଣ ପ୍ରତି ଆଶା

ଛଇଳ ସେମଣି ଏହା କର୍ଣ୍ଣରେ ଶୁଣି

କେମନ୍ତ ନୋହିବ ବିନାଶ ? ହେ

ନବଘନ ! ।୭।

ଯେବେ ତୁମ୍ଭ ତୁଲରେ ଥାଉ ଏକ ମେଳରେ

ହୋଇ ତୁମ୍ଭ ସମୟ ପ୍ରାୟେ,

ଜୀମୂତ ମତେ କରି ବିଜୁଳି ହୋଇ ଗୋରୀ

ବରଷେ ଘନ ରସମୟେ ହେ

ନବଘନ !

ଯାବତ ତାପ ହୋଏ ଲୋପ,

ଜାତ ହୋଏ ପୁଲକ ଦୀପ

ଯେଉଁ ରୂପେ ବଢ଼ଇ ପରମ ପ୍ରେମ ନଈ

କହି ନୁହଇ ସେ ଅମାପ ହେ

ନବଘନ ! ।୮।

ଭାବାର୍ଥ- (୫-୮) ହେ ନବଘନ, ତୁମକୁ ଦେଖି ମନେ ହୁଏ, ତୁମେ ଶ୍ରେଷ୍ଠ ନାଗ, ତେଣୁ ବିଷ ଛାଡ଼ୁଛ, ଅନବରତ ଭାବେ ବିଜୁଳି ଛଳରେ ବାହାର କରି ଭୟ ସୃଷ୍ଟି କରୁଛ । ଭୟଙ୍କର ପବନରେ ମୋ ପ୍ରାଣ ନାଶ କରିବାକୁ ତୁମେ ସ୍ଥିର କରିଛ । ତୁମକୁ ପାଇ କାମ ମହାପ୍ରବଳ ସାପୁଆ କେଳା (ଜାଙ୍ଗଳିକ) ହୋଇଛି । ମୁଁ ଏବେ ଚେତିଲି ଯେ, ଚାହୁଁ ଚାହୁଁ ରାହୁ ପୁଷ୍ପବନ୍ତକୁ (ରାଜୋବତୀ) ଗିଳିଦେଲା । ଚିନ୍ତା ଜଳରେ ସ୍ନାନ କରାଇ କାମ-ବ୍ରହ୍ମରେ ପ୍ରାଣ ଦାନ କଲା । ହେ ନବଘନ, ତୁମର ଚିତ୍ତ କେଡ଼େ କୁଟିଳ ସତେ ! ମିତ୍ରପଣର ଚିହ୍ନବର୍ଣ୍ଣ ନାହିଁ । ଚଡ଼କ ଘାତରେ ଗିରିପର୍ବତକୁ ଚୂର୍ଣ୍ଣ କରି ତା’ର ମସ୍ତକକୁ ଗିଳି ଦେଉଛି ।

ରେ ନବଘନ, ତୁମ ପାଖରେ ଦୟା, କ୍ଷମା ନାହିଁ । ଯମପ୍ରାୟ ହୋଇ ଜୀବନ ନେବାଟାକୁ ମୂଳ କରିଛ । ତୁମକୁ ଅନୁରୋଧ ଜଣାଉଛି, ମୋ ପ୍ରାଣକୁ ଭୟଭୀତ କରାଅ ନାହିଁ । କ୍ଷଣକ ଭିତରେ ତୁମେ ଯେଉଁ ଗର୍ଜନ କରୁଛ, ତାହା କାନରେ ପଡ଼ି ପ୍ରାଣ ପ୍ରତି ଆଶା ଛଡ଼ାଇ ଦେଉଛି । ମୋର ଛଇଳ ମଣି ଏହା ଶୁଣିଲେ ଜୀବନରେ କ’ଣ ବଞ୍ଚିବ ? ଯଦି ତୁମ ମେଳରେ ତୁମର ସହିତ ଥାଏ, ମୋତେ ମେଘ କରି ଗୋରୀ ବିଜୁଳି ହେବ । ମେଘ ବରଷିବ । ଯାବତ ତାପ ନଷ୍ଟ ହୋଇ ପ୍ରେମଭାବ ଜାଗ୍ରତ ହେବ ଓ ପ୍ରେମ-ନଈ ବୃଦ୍ଧି ପାଇବ ।

ଝୀନ-ବସନ ଶ୍ୱାସ ଗନ୍ଧବହ ସଦୃଶ

ପ୍ରଖରେ ବହଇ ସେକାଳେ

ଝସକେତନ ତଟ ତରୁ ହୋଇ ଉତୁଟ

କାହିଁ ଭାସଇ ଅବହେଳେ ହେ

ଝିଙ୍କାରୀ ଶବଦକୁ ମିଶି

ଝଳି ଗୋରୀ ମନ୍ମଥବାଣୀ

ଝମଣ୍ଟେ ନ ରହଇ       ଦାତ୍ୟୁହ ପ୍ରାୟେ ହୋଇ,

ଡାକଇ କନକ କିଙ୍କିଣୀ ହେ

ନବଘନ ! ।୯।

ନ ଜାଣଇ ବରଷା ମତେ କରି ଭରଷା

ମୁଁ ତାହା ଘେନି ସେହି ମତି

ନିଶା ସମୟ ରତ୍ନ ଦଶା ହେବାକୁ ଶନ୍ତ-

ବାହନ ହୋଇଲ କିପରି ହେ

ନବଘନ !

ନାହିଁ ତୁମ୍ଭର କିଛି ଦୋଷ

ନାହିଁ ମୋ କର୍ମେ ଭଲ ଲେଶ

ନିଶାକରେ ଚନ୍ଦ୍ରମା ଚନ୍ଦନ ସୁଖ ସୀମା

ହେଲେ ବିରହେ ହୋଏ ବିଷ ହେ

ନବଘନ ! ।୧୦।

ଟେକ ସମ୍ପତ୍ତି କାଳେ ଯେଉଁ ଲୋକ ବିକଳେ

ଘେନଇ ଲୋକର ବେଦନା

ଟଙ୍କଧର ଆଦିରୁ ବ୍ରହ୍ମାଣ୍ଡ କର୍ତ୍ତାଠାରୁ

ବଡ଼ ତାହାକୁ ବୋଲି ସିନା ହେ

ନବଘନ !

ଟଳି ତ ଯିବ ତୁମ୍ଭ ପଣ

ଟିକାଏ ଘେନି ମୋ କଷଣ

ଟେକ ଗର୍ଜ୍ଜନ କରି ପ୍ରାଣ ମୋର ନ ରହି

ନୁହ ଅତିଶୟ ଦାରୁଣ ହେ

ନବଘନ ! ।୧୧।

ଠାଠିକ ତୁମ୍ଭେ ତୋରା ଦିଶ ମୋହିଛି ପରା

ସହଜେ ଶ୍ୟାମ କଳେବର

ଠିକ କେଳୀ କଳାପ ପରାୟେ ଇନ୍ଦ୍ରଚାପ

ସମ ବିଜୁଳି ପୀତାମ୍ବର ହେ

ଠିକ ଗୁଣ ତୁମ୍ଭର ଯେତେ

ଠାବ ସେ ହୋଇଛି ଜଗତେ

ଠାକୁରାଣୀ ଛାମୁକୁ ତୁମ୍ଭଙ୍କୁ ପେଷିବାକୁ

ବିଶ୍ୱାସ ହୋଇଅଛି ଚିତ୍ତେ ହେ

ନବଘନ ! ।୧୨।

 

ଭାବାର୍ଥ- (୯-୧୨) ହେ ନବଘନ, ସେଇ କାଳରେ ଝୀନ ବସନାର ଶ୍ୱାସ ପବନ ସଦୃଶ ପ୍ରଖର ଗତିରେ ବହେ । କନ୍ଦର୍ପର ତଟତରୁ ହୋଇ କୁଆଡ଼େ ଭାସିଯାଏ । ଝିଙ୍କାରୀ, ଡାହୁକର ଶବ୍ଦ ଚାରିଆଡ଼େ ଶୁଭେ । ରେ ନବଘନ, ବରଷା କାଳରେ ସେ ମୋତେ ଭରସା କରିଛି, ମୁଁ ମଧ୍ୟ ତାକୁ ଭରସା କରିଛି । ନିଷ୍ଠୁର ହେବାରେ ତୁମର କିଛି ଦୋଷ ନାହିଁ । ମୋ କର୍ମରେ ଆଦୌ ଭଲ ଯୋଗ ନାହିଁ । ରାତ୍ରି ସମୟରେ ଚନ୍ଦ୍ର ଚନ୍ଦନ ପ୍ରାୟ ସୁଖକର ହୋଇଥାଏ; କିନ୍ତୁ ବିରହ ବେଳେ ବିଷପ୍ରାୟ ହୁଏ ।

ହେ ନବଘନ, ସମ୍ପତ୍ତି ପାଇଥିବା ଲୋକ ଦୁଃଖୀ ଲୋକର ବେଦନା ଯଦି ବୁଝିଲା, ତେବେ ତାକୁ ସଂସାରରେ ବିଷ୍ଣୁ ଶିବଙ୍କ ଠାରୁ ମଧ୍ୟ ବଡ଼ ବୋଲି କହିବା । ମୋ ଦୁଃଖକୁ ଲାଘବ କର, ଗର୍ଜନ ନ କରି ମୋ ପ୍ରାଣ ରଖ । ମୋ ପ୍ରତି ଅତିଶୟ ନିଷ୍ଠୁର ହୁଅ ନାହିଁ । ହେ ନବଘନ, ସହଜରେ ମୋର ଶରୀର ଶ୍ୟାମବର୍ଣ୍ଣ । ତୁମର ବର୍ଣ୍ଣ ବି ସେମିତି । ମୟୂର ପୁଚ୍ଛ ପ୍ରାୟ ଇନ୍ଦ୍ରଧନୁ ଓ ବିଜୁଳି ପୀତାମ୍ବର ସମାନ ହୋଇଛି । ହେ ନବଘନ, ତୁମରି ପାଖରେ ଯେତେ ସବୁ ଗୁଣ ରହିଛି, ତାହା ଜଗତରେ ବିଖ୍ୟାତ ହୋଇଛି । ଠାକୁରାଣୀ ରାଧାଙ୍କ ପାଖକୁ ତୁମକୁ ଦୂତ ଭାବେ ପଠାଇବା ପାଇଁ ତେଣୁ ମୋ ମନ ମଧ୍ୟରେ ବିଶ୍ୱାସ ଜାତ ହେଉଛି ।

ଡୋଳା-ପ୍ରତିମା ଏକା ହେଲେ କରଇ ଦକା

ଦେଖି ତୁମ୍ଭଙ୍କୁ ନୟନରେ

ଡୋଳାରେ ଦେଖୁଦେଖୁ ବନ୍ଧୁ ମୋ ରଖୁ ରଖୁ

ଛାଡ଼ି ଅଇଲି ନିର୍ଦ୍ଦୟାରେ ହେ ନବଘନ

ଡକା ଉପରେ ହେଲା ଡକା

ଡକାୟତ କାମ କଡ଼କ ।

ଡରେ ପ୍ରାଣ ଛାଡ଼ିବ କର୍ଣ୍ଣେ ଯେବେ ଶୁଣିବ

ଡାହୁକ ଡାକେ କେକୀ କା କା ହେ

ନବଘନ ! ।୧୩।

ଢାଳେ ଭାସିଲୁ ଦୁହେଁ କାମନଦୀ ପ୍ରବାହେ

ଦୁହେଁ ଦୁହିଁକି ସିନା ଭେଳା,

ଢାଳି ଜୀବନ ଯିବା ଏଥିରେ କେତେ ଅବା

ଯହିଁ ଥିବ ଏତେ ହେଲା ଭାରି

ନବଘନ !

ଢାଳେ ମୋ ବୋଲ ଏବେ କର

ଢମ ପଣକୁ ପରିହର

ଢାଳନେତ୍ରୀ ଛାମୁରେ ବାରତା କହିବାରେ

ବହୁତ ଯଶକୁ ବିସ୍ତାର ହେ

ନବଘନ ! ।୧୪।

ଏବେ ଯେ ତୁମ ୠତୁ ପ୍ରାୟେ ମକରକେତୁ

ହେତୁରୁ ହୋଇଥିବା ବାଳା

ଉଚ୍ଚ କୁଚ ଗିରିରେ ପୟୋଧର ରୂପରେ

ପଡ଼ିଥିବ ଚିକୁର-ମାଳା ହେ

ନବଘନ !

ଅଶ୍ରୁଜଳ ବରଷୁଥିବ

ଅନଙ୍ଗ କୃଷିକ ଜିଇଁବ

ଅଙ୍ଗ ଭୂମିରେ ଶର ସୀରରେ ଦେଇ ଗାର

ଅନେକ କୃଷି ସେ କରିବ ହେ

ନବଘନ ! ।୧୫।

ତାପ-ତଟିନୀ ବଢ଼ି ଧଇର୍ଯ୍ୟ ତଟ ଏଡ଼ି

ବିବେକ-ବିଟପୀ ତାଡ଼ିବ

ତରଳ ହୋଇ ଜ୍ଞାନ- ହଂସ ଉଡ଼ି ବହନ

ହୃଦୟ ସରସୀ ଛାଡ଼ିବ ହେ

ତୂଷ୍ଣୀ ହେବ ବଚନପିକ

ନବଘନ !

ତୋରା ହେବ କାନ୍ତି-କେତେକ

ତାଣ୍ଡବ କରୁଥିବ ବିରହ ବ୍ୟାଧି-ଶିବ

ଭୂଷଣ-ବଇରି ଅନେକ ହେ

ନବଘନ ! ।୧୬।

ଭାବାର୍ଥ- (୧୩-୧୬) ରେ ନବଘନ, ମୋ ଡୋଳା ପ୍ରତିମା ଏକା ହୋଇଗଲେ ତୁମକୁ ଦେଖି ମନରେ ଭୟ ପାଇଯାଉଛି । ତାକୁ ନିର୍ଦ୍ଦୟ ହୋଇ ମୁଁ ଛାଡ଼ି ଆସିଛି ! ସେଥିରେ ପୁଣି କନ୍ଦର୍ପର ତାଡ଼ନା । ବର୍ଷା କାଳରେ ମୟୂରର ଡାକ, ଡାହୁକର ରାବ ଯେବେ ଶୁଣିବ ଭୟରେ ତା’ର ପ୍ରାଣ ଚାଲିଯିବ । କାମନଦୀର ପ୍ରବାହରେ ଆମେ ଦୁହେଁ ଭାସୁଛୁ । ଆମର ସାହା କେହି ନାହିଁ । କେବଳ ଦୁହେଁ ଦୁହିଁଙ୍କୁ ଭେଳା ହୋଇଛୁ । ଭେଳା ବୁଡ଼ିଲେ ଜୀବନ ଯିବ । ରେ ନବଘନ, ଏବେ ମୋ ବୋଲ କର । ଢମ ପଣକୁ ତୁମେ ପରିହାର କରି ମୋ ପ୍ରିୟା ପାଖୁ ଯାଅ । ତା’ ଆଗରେ ସମସ୍ତ ବାର୍ତ୍ତା କହିବ, ତୁମର ଯଶ ରହିବ ।

ରେ ନବଘନ, ଏଇ ୠତୁ ଏବେ ତୁମର । ବାଳାର ଉଚ୍ଚ ବକ୍ଷୋଜ- ପର୍ବତରେ ପୟୋଧର ରୂପରେ ଚିକୁରମାଳା ପଡ଼ିଥିବ । ତା’ ଚକ୍ଷୁରୁ ଅଶ୍ରୁ-ଜଳ ବର୍ଷୁଥିବ । କନ୍ଦର୍ପ ତା’ ଦେହରେ ଶର ରୂପକ ଲଙ୍ଗଳ (ସୀର) ଗାର ଦେଇ କୃଷି କାର୍ଯ୍ୟ କରିବ । ରେ ନବଘନ ବାଳା ତାପ ରୂପକ ନଈବଢ଼ିର ଧୈର୍ଯ୍ୟ କୂଳକୁ ଏଡ଼ାଇ ବିବେକ ରୂପକ ବିଟପୀ (ବୃକ୍ଷ)କୁ ଉପାଡ଼ି ଦେବ । ଫଳରେ ତା’ର ଜ୍ଞାନ ରୂପକ ହଂସ ଶୀଘ୍ର ଉଡ଼ି ଯାଇ ହୃଦୟ ପୋଖରୀକୁ ତ୍ୟାଗ କରିବ ଓ ବଚନ ରୂପକ କୋଇଲି ଚୂଷ୍ଣୀ (ମଉନ) ହୋଇଯିବ । ବାଳାର କାନ୍ତି ଝଟକିବ । ବିରହ ବ୍ୟାଧି ରୂପକ ଶିବ ତାଣ୍ଡବ କରିବ; ବେଶଭୂଷା ପ୍ରତି ବିରାଗ ଭାବ ଆସିବ ।

ଥରେ ଥରେ ପ୍ରଖର ବହେ ଶ୍ୱାସ ସମୀର

ଥରେ ଥରେ ହୁଅଇ ଲୀନ

ଥିଲା କର୍ମରେ ଏହା ଏ କାଳେ ଯାଇଁ ଯାହା

ନୋହିଲା ଧିକ ତା ଜୀବନ ହେ

ନବଘନ !

ଥିରା ମଣ୍ଡନୀ ହୀରା ଦନ୍ତୀ

ଥୂଳ-ନିତମ୍ବା ଦନ୍ତୀ-ଗତି

ଥାପିଲା ସୁଖ ପାଇ ପ୍ରେମ ପ୍ରୀତି ମୋ ଠାଇଁ

ପାଇଲା ଅନେକ ବିପତ୍ତି ହେ

ନବଘନ ! ।୧୭।

ଦୟାଳୁ-ଶିରୋମଣି ଦୟାରେ ମୋତେ କିଣି

ଦେଇଛି ଯେତେ ଯେତେ ସୁଖ

ଦରହାସିନୀ ହେତୁ ବସନ୍ତ ଆଦି ୠତୁ

ଯାକ ମୁଁ ପାଇ ନାହିଁ ଦୁଃଖ ହେ

ନବଘନ !

ଦଇବ ଏବେ ଏହା କଲା

ଦାସବତ୍ସଳା ଦୂର ହେଲା

ଦଗଧ ପଟ ପ୍ରାୟେ ହୋଇ କେବଳ କାୟେ

ଆକାର ମାତ୍ରକଃ ରହିଲା ହେ

ନବଘନ ! ।୧୮।

ଧୃତି ଧ୍ୱସିଂନୀ ହିମ କାଳେ ଅରୁଣ ଧୂମ

ପୁରେ ଯେ ଘେନି ବସିଥାଇ

ଧାତା ରଚନା ଯେତେ ସୁଖ ସମସ୍ତ ମତେ

ଇତର ପରାୟେ ଦିଶଇ ହେ

ନବଘନ !

ଧନ୍ୟ ତୋ କୋମଳ ଶରୀର

ଧୀରେ ଲାଗନ୍ତେ ଅଙ୍ଗେ ମୋର

ଧିକାର କରୁଥାଇ ହଂସୁଲି ତୁଳୀ ପାଇଁ

 

ଅଙ୍ଗକୁ ଲକ୍ଷ୍ୟ ଦ୍ୟନ୍ତି ନର ହେ

ନବଘନ ! ।୧୯।

ନାହିଁ ନୋହିବ ନବ ପଞ୍ଚ ଭୁବନେ ଭାବ

ବତୀ ସମାନେ ସୁଖକାରୀ

ନୋହିଲେ କାହିଁପାଇଁ ଝୁରୁଛି ତାହାପାଇଁ

ନିଶି ଦିବସ ବସି କରି ହେ

ନବଘନ !

ନିରୂପଣ ନାଗରୀମଣି

ନାହିଁ ତା ପରା ଗୁଣମଣି

ନାକ ନାଗ ତରୁଣୀ ତାହାରି କଥା ଶୁଣି

ଲାଜେ ନ ଦେଖନ୍ତି ଧରଣୀ ହେ

ନବଘନ ! ।୨୦।

ଭାବାର୍ଥ- (୧୭-୨୦) ରେ ନବଘନ, ଥରେ ଥରେ ନାକରୁ ପବନ ପ୍ରାୟ ଶ୍ୱାସ ବହୁଛି ତ ଥରେ ଥରେ ବନ୍ଦ ହୋଇଯାଉଛି । କର୍ମରେ ଏହା ଭୋଗିବାକୁ ଥିଲା । ଏହି ସମୟରେ ତାକୁ କେହି ସାହା ହେଲା ନାହିଁ। ଧିକ୍ ତା ଜୀବନ । ରେ ନବଘନ, ଧିରାମଣ୍ଡନୀ, ହୀରାଦନ୍ତୀ, ଗଜଗମନୀ ମୋ ଉପରେ ପ୍ରେମଭାବ ଆଚରଣ କରି ଅନେକ କଷ୍ଟ ପାଇଲା । ବାଳା ଦୟାଳୁ ଶିରୋମଣି, ମୋତେ ତା’ ଦୟାରେ କିଣି ଦେଇଛି । ଯେତେ ଯେତେ ସୁଖ ଦେଇଛି, ତାକୁ ବର୍ଣ୍ଣନା କରି ପାରିବି ନାହିଁ । ସେଇ ଦରହାସିନୀ ଯୋଗୁଁ ବସନ୍ତ ପ୍ରଭୃତି ୠତୁରେ ମୁଁ ଦୁଃଖ ପାଇନାହିଁ । ଦଇବ ଏବେ ଦାସବତ୍ସଳାକୁ ମୋତେ ଦୂରେଇ ଦେଲା । ଦଗ୍‌ଧୀଭୂତ ଚିତ୍ରପଟ ପ୍ରାୟ ଆକାର ହୋଇ ଦେହଟା ଯାହା ରହିଛି !

ରେ ନବଘନ, ହିମକାଳେ ପୁର ମଧ୍ୟରେ ମନଦୁଃଖରେ ବସିଥାଏ । ବିଧାତା ଯେତେ ସୃଷ୍ଟି କରିଛି, ସେ ସମସ୍ତ ମଧ୍ୟରେ ଅତ୍ୟନ୍ତ ହୀନ ଦେଖାଯାଉଛି । ଧନ୍ୟ ତୋର କୋମଳ ଶରୀର, ଧିର ଭାବରେ ତାହା ମୋ ଅଙ୍ଗରେ ଲାଗିଲେ ହଂସ ତୁଳୀ ପ୍ରତି ଧିକ୍‌କାର ଭାବ ଆସୁଛି । ଲୋକମାନେ ସେଇ ଦେହକୁ ଏମିତି ଉପମା ଦେଇଥା’ନ୍ତି । ଏଇ ଚଉଦ ଭୁବନରେ ଭାବବତୀ ସମାନ ସୁଖକାରୀ ନାହାନ୍ତି କି ନ ଥିବେ । ନ ହେଲେ ଦିନରାତି ବସି ତାକୁ କାହିଁକି ଝୁରି ହୁଅନ୍ତି ? ତା’ ପରି ଶ୍ରେଷ୍ଠ ଗୁଣମଣି, ନାଗରୀମଣି କେହି ନାହାନ୍ତି । ସ୍ୱର୍ଗ (ନାକ) ନାଗ ଲୋକର ତରୁଣୀମାନେ ତା’ର କଥାକୁ ଝୁରି ହେଉଛନ୍ତି । ଲାଜରେ ପୃଥିବୀକୁ ଆସୁ ନାହାନ୍ତି ।

ପୂର୍ଣ୍ଣ-ଚନ୍ଦ୍ର-ବଦନା ମତ୍ତ-ପିକ-ବଚନା

ପଲ୍ଲବ-ଦଶନ-ବସନା

ପୁଷ୍ପ ବେଶ ହୋଇ ଯେ ଆସେ ମକରଧ୍ୱଜେ

ପୀଡ଼ିତ ହୋଇ ପୀନସ୍ତନା ହେ

ନବଘନ !

ପଛ ହୋଏ ପଲକପନ୍ତି

ପୁଲକେ ଫୁଲଇ ମୋ ଛାତି

ପୀତ ବସନା ସଙ୍ଗେ ରତି-ପତି ପ୍ରସଙ୍ଗେ

କାହିଁ ଯାଇ ବସନ୍ତି ରାତି ହେ

ନବଘନ ! ।୨୧।

ଫାଟି ନ ଯାଇ ଛାତି ରହିଛି ତାହା ଚେତି

ଫୁଟେ ଜାଣିଲି ବଜ୍ର ଏହି

ଫୁଲ୍ଲାର-ବିନ୍ଦ ମୁଖୀ ମୁଖ ଯାହା ନ ଦେଖି

ତରଳି ନ ଯାଇଛି ବିହି ହେ

ନବଘନ !

ଫାନ୍ଦେ ପଡ଼ିଲା ମୃଗ ପ୍ରାୟେ

ପାଇ ବିକଳ ହୋଏ କାୟେ

ଫନ୍ଦା ହିଁ ଅଛି ଏତେ ବହି ବା କଦାଚିତେ

ନିଅଇ ପ୍ରାଣ ବନ୍ଧୁ ଯାଏ ହେ

ନବଘନ ! ।୨୨।

ବଡ଼ କରି ଅଙ୍ଗରେ ଘେନୁ ଯେ ଥାନ୍ତି ନରେ

ଗ୍ରୀଷମେ କର୍ପୂର ଚନ୍ଦନ

ବିଶାଳନେତ୍ରୀ ପର- ସାଦେ ତହିଁକି ମୋର

ଲେଶେ ହେଁ ନ ବଳଇ ମନ ହେ

ନବଘନ !

ବୁଡ଼ିଲା ସବୁ ସୁଖ ମୋର

ବିଧାତା କଲା ଅବିଚାର

ବସନ୍ତ-ଗିରୀଷମ ସମସ୍ତ ୠତୁ ଯମ

ସମାନ ବଇରି ମୋହର ହେ

ନବଘନ ! ।୨୩।

ଭୋଜନ ବିନୁ ଭୋଖୀ ମନେ ଯେମନ୍ତେ ସୁଖୀ

ନୁହଇ ଭୂଷଣ ଭୂଷଣେ

ଭାବିନୀ ବିନୁଁ ଭାବ ସେହିମତି ଅଭାବ

ହୁଅଇ ଦଇବ କଷଣେ ହେ

ନବଘନ !

ଭୂପତି ବିହୀନେ ସମ୍ପତ୍ତି

ଭଗାରୀ ପରାଏ ଦିଶନ୍ତି

ଭୂରୁ ଶୋଭନୀ ଭାବ- ବତୀ ବିହୀନେ ଜୀବ

ଥିବା କଥା ହି ସେହି ମତି ହେ

ନବଘନ ! ।୨୪।

ଭାବାର୍ଥ- (୨୧-୨୪) ରେ ନବଘନ, ବାଳା ମୋର ପୂର୍ଣ୍ଣଚନ୍ଦ୍ର ବଦନା, ମତ୍ତ- ପିକବଚନା, ଉତ୍ତମ ଦେହା, ସେ ପୀନସ୍ତନା ଫୁଲରେ ବେଶ ହୋଇ ଆସେ । କନ୍ଦର୍ପ ଦ୍ୱାରା ପୀଡ଼ିତା ହୋଇଛି । ତା’ ଅଙ୍ଗ ସ୍ପର୍ଶରେ ମୋର ଶରୀରରେ ପୁଲକ ଜାତ ହୁଏ । ରେ ନବଘନ, ପୀତବସନା ସହିତ କନ୍ଦର୍ପ ପ୍ରସଙ୍ଗରେ ରାତିରେ କୁଆଡ଼େ ଯାଇ ବସନ୍ତି ? ଏହାକୁ ଏବେ ବଜ୍ର ବୋଲି ଜାଣିଲି । ଯାହା ମୋର ଛାତି ଫାଟି ଯାଉନି । ରେ ନବଘନ, ସେ ପଦ୍ମମୁଖୀର ମୁଖକୁ ଦେଖି ବିଧାତା ତରଳି ଯାଇଛି । ଜାଲରେ ପଡ଼ି ମୃଗ ବିକଳ ହେଲା ପରି ଏ ଜୀବନଟା କଷ୍ଟ ପାଉଛି । ଗ୍ରୀଷ୍ମ ଋତୁରେ ଧନୀ ଲୋକମାନେ ଦେହରେ କର୍ପୂର ଚନ୍ଦନ ଲେପ କରିଥା’ନ୍ତି; କିନ୍ତୁ ମୋର ବିଶାଳ ନେତ୍ରୀର ପ୍ରସାଦରେ ସେଥିପ୍ରତି ମୋର ଲେଶେ ମାତ୍ର ମନ ବଳୁନାହିଁ । ବିଧାତା ମୋ ପ୍ରତି ଅବିଚର କରି ମୋର ସବୁ ସୁଖକୁ ବୁଡ଼ାଇ ଦେଲା । ବସନ୍ତ, ଗ୍ରୀଷ୍ମ ସମେତ ସମସ୍ତ ୠତୁ ଯମ ସମାନ ଶତ୍ରୁଭାବ ଆଚରଣ କରୁଛନ୍ତି ।

ରେ ନବଘନ, ଭୋଜନ ବିନା ଭୋକିଲା ଲୋକଟିଏ ଯେମିତି ସୁନା, ଅଳଙ୍କାର, ବେଶଭୂଷାରେ ସୁଖୀ ହୋଇ ନ ଥାଏ, ସେମିତି ପ୍ରିୟା ବିନା ଭାବର ମୂଲ୍ୟ ରହି ନ ଥାଏ ? ଏହା ଦଇବ କଷ୍ଟ । ରେ ନବଘନ, ରଜାଙ୍କ ବିନା ସମ୍ପତ୍ତି ବିଷତୁଲ୍ୟ ମନେ ହୁଏ । ସେମିତି ସେଇ ସୁନ୍ଦରୀ ଭାବବତୀ ବିନା ଏ ଜୀବନର ମୂଲ୍ୟ ନାହିଁ ।

ମନ୍ଦ ମନ୍ଦ କହିବା ମନ୍ଦ ମନ୍ଦ ଚାହିଁବା

ମନ୍ଦ କଳ କୋକିଳ-ବାଣୀ

ମତେ ତ ଦିଶୁନାହିଁ ଉପମା ଅଛି କାହିଁ

ଆହା ସେ ରସିକ-ସିହାଣୀ ହେ

ନବଘନ !

ମରକଧ୍ୱଜ କଳ୍ପଲତା

ମହତ କାମ-ଫଳ ଦାତା

ମହୀ ମଣ୍ଡନୀ ମନ- ମୋହିନୀ ଜୀବଧନ

ମୋ ସୁଖ-ମନ୍ଦିର-ଦେବତା ହେ

ନବଘନ ।୨୫।

ଜମ୍ବୁନଦ-ଗୋରୀ କି ନବୀନ କିଶୋରୀ କି

ଦେଖିବା ଯାଏ ପ୍ରତେ ନାହିଁ

ଜପୁଥିବି ତାହାର ନାମ ତା ନିରନ୍ତର

ଯାବତ ଯାତନାକୁ ସହି ହେ

ନବଘନ !

ଜଳନେତ୍ରୀ କି କହିବ

ଯେମନ୍ତେ ଜୀବନ ରହିବ

ଜୀବନ-ମଞ୍ଚୁ ନାମ ଯଥାର୍ଥ କରି ବାମ-

ନେତ୍ରୀକି ବାମ ତା ନୋହିବ ଯେ

ନବଘନ ! ।୨୬।

ରଖଇ ନାହିଁ ଧାତା ସବୁକାଳେ ସମତା

ଭଙ୍ଗ ହିଁ କରଇ ତହିଁରେ

ରତିଏ ଯେ ଯାହାକୁ ଛାଡ଼ଇ ନାହିଁ ତାକୁ

ରଖଇ ଅନେକ ଦୂରରେ ହେ

ରାଜୀବ ସୁତର ଏ ରୀତି

ରତି ଗତିର ଏ ଅନୀତି

ରୋଲମ୍ବ ଗୁଣ ନେଇ ଫୁଲଧନୁରେ ଦେଇ

ଫୁଲକାଣ୍ଡେ ମନ୍ଥର ମତି ହେ

ନବଘନ ! ।୨୭।

ଲୋଚନ କର୍ଣ୍ଣଧର ଲୋଚନେ ଅଙ୍ଗ ତାର

ଲିଭିଲା ଅବଲୋପ ଏତେ

ଲୋକ ଦୁଃଖ ନଜାଣି ବିନ୍ଧଇ ପୁଣି ପୁଣି

ବାଳିଶ ଅବିବେକ ଚିତ୍ତେ ହେ

ନବଘନ !

ଲେଶେ ବିଚାର ନ ଚଳଇ

ଲଳନା ଅଙ୍ଗେ ପ୍ରହାରଇ

ଲାଭ ହାନି ବିଶେଷ ନ ଜାଣି ଆଶୟାଶ

ପରାଏ ଆପଣେ ମାରଇ ହେ

ନବଘନ ।୨୮।

ଭାବାର୍ଥ- (୨୫-୨୮) ହେ ନବଘନ, ଧୀରେ ଧୀରେ କହିବା, ଅଳ୍ପ ଅଳ୍ପ ଚାହିଁବା, କୋକିଳ ବାଣୀ ପରି ତା’ର କଥା- ଏହିପରି ଗୁଣ ସବୁ ତା’ ପାଖରେ ଅଛି । ସେ ରସିକ ସିହାଣି ଠାରେ ଏପରି ଭଲଗୁଣ ଅନ୍ୟ କାହାରି ଠାରେ ଥିବା ମୋର ବିଶ୍ୱାସ ହେଉନାହିଁ । ସେ ମହୀମଣ୍ଡନୀ, ମନମୋହିନୀ ମହତ ଫଳଦାତା, ମୋ ସୁଖ ମନ୍ଦିରର ଦେବତା । ରେ ନବଘନ, ନବୀନ କିଶୋରୀକୁ ଦେଖିବା ଯାଏଁ ମୋର ବିଶ୍ୱାସ ହେଉନାହିଁ । ତା’ ନାମକୁ ନିରନ୍ତର ଜପୁଥିବି । ଯାବତୀୟ କଷ୍ଟକୁ ସହି ନେବି । ସେ ପଦ୍ମନେତ୍ରୀର କଥା ଶୁଣିଲେ ମୋର ଜୀବନ ରହିବ । ସେ ବାମନେତ୍ରୀକୁ ବିଧାତା ଯେମିତି ବାମ ନ ହେଉ ।

ହେ ନବଘନ, ବିଧାତା ସବୁ ସମୟରେ ସମତା ରଖନ୍ତି ନାହିଁ । ଯିଏ ଯାହାକୁ ଭଲ ପାଇଲା, ତାକୁ ଘଡ଼ିଏ ମଧ୍ୟ ଛାଡ଼ି ପାରେ ନାହିଁ । ଏବେ ସେ ଅନେକ ଦୂରରେ । ରତିଗତିରେ ଏ ଅନୀତି କଥା । ଭ୍ରମରେ ଗୁଣ ନେଇ ଫୁଲ ଧନୁରେ ଫୁଲଶର ଖଞ୍ଜିଛି । କନ୍ଦର୍ପ ଲୋକଙ୍କ ଦୁଃଖକୁ ନ ଜାଣି ବାରମ୍ବାର ମୂର୍ଖ, ଅବିବେକର ମନରେ ବିନ୍ଧିଥାଏ । ଲେଶମାତ୍ର ବିଚାର ନ କରି ନାରୀର ଦେହରେ ସେ ପ୍ରହାର କରିଥାଏ । ଲାଭ କ୍ଷତି ବିଶେଷ ଜାଣି ନ ଥିଲା ଲୋକେ ନିଜକୁ ନିଜେ ମାରିଥା’ନ୍ତି ।

ବିଚାରୁ ଅଛି ଏବେ ତୁମ୍ଭ ସଙ୍ଗତେ ଯେବେ

ଯିବ ଏ ବଲ୍ଲଭୀ ପାଶକୁ

ବିଧୁ-ବଦନୀ-ବାଳା କୋମଳା ପ୍ରେମଶୀଳା

ଅବଶ୍ୟ ଭଜିବ ନାଶକୁ ହେ

ନବଘନ !

ବିଷଧର ପାଇଲେ ପୟ

ବୁଦ୍ଧି ଯେ କରଇ ବିଷୟ

ବିଶ୍ୱକେତୁ ଆଶ୍ରୟ ପାଇଲେ କରେ ଜୟ

ଏହି ଘେନି କରୁଛି ଭୟ ହେ

ନବଘନ ! ।୨୯।

ସହଜେ ହେଁ ଶୀତଳ କର୍ପୂର ନାରିକେଳ

ଲେମ୍ବୁ ସଂଯୋଗୁ ହୋଏ ବିଷ

ସୁଜନ ସଙ୍ଗେ ଯେବେ ଦୁର୍ଜନ ହୋଏ ତେବେ

ଅବଶ୍ୟ ହୋଏ ଅପଯଶ ହେ

ନବଘନ !

ସଉଦାମିନୀ ସଙ୍ଗେ ଥିବ

ସହଜେ ତ ସମୀର ଯିବ

ଶିଖୀ ବକ ଡାହୁକ ମଣ୍ଡୁକ ମହାଡ଼ାକ

କାହାକୁ କେତେ ନିବାରିବ ହେ

ନବଘନ ! ।୩୦।

ସେ ତୁମ୍ଭ ଦମକ ଶୁଣି ଲଭେ ଚମକ

ଝସକେତୁ ଦମକ ତେଣେ

ଶିତିକଣ୍ଠେ ବିକଟ ଡାକିବାର ଚହଟ

ବନ୍ଧୁକୁ ନ ରଖିବ ପ୍ରାଣେ ହେ

ନବଘନ !

ସବୁ ସମ୍ପଦ ସରିଯିବ

ସଂସାରେ ଲୋକ କି ବାଲିବ

ଶୁଭେ ଜୀବନ ଥିଲେ ଧାତା ସୁମୁଖ ହେଲେ

ସମସ୍ତ ସୁଖ ହିଁ ହୋଇବ ହେ

ନବଘନ ! ।୩୧।

ସଲିଳଧର ଯାଅ ଅପଯଶ ନପାଅ

ସବୁ ଦୁଷ୍ଟମାନଙ୍କୁ ଘେନି

ସମସ୍ତେ ଉପକାର କଲେ ଯେଣୁ ମୋହର

ଜୀବଧନ ନ କଲ ହାନି ହେ

ନବଘନ !

ସକ୍ରୋଧେ ବୋଲିବି ମୁଁ ଯାହା

ମନରେ ନ ଘେନିମ ତାହା

ସ୍ନେହଥାଇ ଯହିଁର ମାନକରି ତହିଁରେ

ହୃଦରେ ବିଚାରିବି ଏହା ହେ

ନବଘନ ! ।୩୨।

ଭାବାର୍ଥ- (୨୯-୩୨) ହେ ନବଘନ, ମୁଁ ମନରେ ଏବେ ବିଚାର କରୁଛି, ତୁମ ସଙ୍ଗରେ ଏ ଯଦି ମୋ ପାଖକୁ ଯିବ, ଚନ୍ଦ୍ରମୁଖୀ ବାଳା ଅବଶ୍ୟ ନାଶଯିବ । ସର୍ପ କ୍ଷୀରପାନ କଲେ କ’ଣ ତା’ର ଚରିତ୍ର ବଦଳିଯିବ ? ବିଶ୍ୱକେତୁଙ୍କ ଆଶ୍ରୟ ପାଇଲେ ଜୟ କରିବ । ତେଣୁ ମୋତେ ଭୟ ଲାଗୁଛି । ହେ ନବଘନ, ସହଜରେ କର୍ପୂର, ନାରିକେଳ ଶୀତଳ; କିନ୍ତୁ ସେଥିରେ ଲେମ୍ବୁ ମିଶାଇଲେ ବିଷ ହୋଇଯାଏ । ସେମିତି ସୁଜନ ସଙ୍ଗରେ ଯେବେ ଦୁର୍ଜନ ମିଶେ, ତେବେ ଅପଯଶ ପାଇବା ନିଶ୍ଚିତ । ରେ ନବଘନ, ସୌଦାମିନୀ (ବିଜୁଳି) ସଙ୍ଗରେ ଥିବ, ସହଜରେ ତ ପବନ ଯିବ। ମୟୂରୀ, ବଗ, ଡାହୁକ, ବେଙ୍ଗ- ଏମିତି କେତେ, କାହାକୁ କେତେ ବାରଣ କରିବ ?

ରେ ନବଘନ, ସିଏ ତ ତୁମର ଦମନକାରୀ, ଶୁଣିଲେ ଚମକ ଲାଗୁଛି । ତେଣେ କନ୍ଦର୍ପ ଭୟ ଦେଖାଉଛି । ଶିତିକଣ୍ଠ (ଡାହୁକ)ର ବିକଟ ଡାକ ଶୁଣି ମୋର ବନ୍ଧୁର ପ୍ରାଣ ରହିବ ନାହିଁ । ରେ ନବଘନ, ସବୁ ସମ୍ପଦ ସରିଯିବ, ସଂସାର ଲୋକେ କ’ଣ କହିବେ ? ଜୀବନରେ ଶୁଭରେ ଥିଲେ, ବିଧାତା ମଙ୍ଗଳ ଚାହିଁଲେ ସବୁ ସୁଖ ମିଳିବ ।

ହେ ନବଘନ, ସବୁ ଦୁଷ୍ଟଙ୍କୁ ନେଇ ଚାଲିଯାଅ । ଅପଯଶ ନ ପାଅ । ଯେହେତୁ ସମସ୍ତେ ମୋ ଉପକାର କରିଛନ୍ତି, ଜୀବଧନର ହାନି କଲ ନାହିଁ । କ୍ରୋଧରେ ମୁଁ ଯାହା କହିବି, ତାକୁ ମନରେ ନେବ ନାହିଁ । ଯେଉଁଠି ସ୍ନେହ ଥାଏ, ସେଠାରେ ମାନ ଥାଏ । ହେ ନବଘନ, ଏହି କଥାକୁ ହୃଦୟ ମଧ୍ୟରେ ବିଚାର କରିବି ।

ହଂସ-ଗମନୀ ଧନୀ ବିଚ୍ଛେଦ ଦୁଃଖ ଘେନି

ମୋ ମନ ମୋହର ନୁହଇ

ହୃଦୟ ନୋହେ ଥୟେ କଥା ପ୍ରସଙ୍ଗ ପ୍ରାଏ

କେତେବେଳେ କି କହଇ ହେ

ନବଘନ !

ହର-ବଇରି ଶରେ ଜ୍ଞାନ

ହେଉଛି ଥରେ ଥରେ ଆନ

ହରଷ ହୋଇ ଘନ କର ଏବେ ଗମନ

ନ ଘେନି କିଛି ଅଭିମାନ ହେ

ନବଘନ ! ।୩୩।

କ୍ଷମା ସାଗର ବର ରସିକ ଗିରିଧର

ବୋଲେ ଜଳଦ ବାହୁଡ଼ିଲା

କ୍ଷମାକର ବଦନୀ କ୍ଷୋଭ କରିଲା ଘେନି

ଗୋକୁଳମାର୍ଗ ନ ମାଡ଼ିଲା ହେ

ନବଘନ !

କ୍ଷମେ ଏ ଚଉତିଶା ଶୁଣ

ଛାଡ଼ି ମନରୁ ଅବିଗୁଣ

କ୍ଷମା ସାଗର ଲୋକ ମାତା ଚରଣେ ଲୋକ

ଦୀନକୃଷ୍ଣ ଦାସ ଶରଣ ହେ

ନବଘନ ! ।୩୪।

ଭାବାର୍ଥ- (୩୩ - ୩୪) ରେ ନବଘନ, ହଂସଗମନା ବିଚ୍ଛେଦ ଦୁଃଖକୁ ପାଉଛି । ମୋ ମନ ମୋର ନୁହେଁ । ହୃଦୟ ଥୟ ହେଉ ନାହିଁ । କେତେବେଳେ କ’ଣ କହୁଛି, ମୁଁ ଜାଣି ପାରୁନାହିଁ । ହେ ନବଘନ, କନ୍ଦର୍ପର ଶରରେ ଆଘାତ ପାଇଁ ଥରେ ଥରେ ଜ୍ଞାନହରା ହୋଇ ପଡ଼ୁଛି । ହେ ନବଘନ ହରଷ ମନରେ ଏଠାରୁ ଏବେ ଚଳିଯାଅ । ମନରେ କିଛି ଅଭିମାନ କରନାହିଁ । କ୍ଷମାସାଗରବର, ରସିକ ଗିରିଧରଙ୍କ ଆଜ୍ଞାପାଇ ମେଘ ବାହୁଡ଼ିଗଲା । ଆଉ ଗୋକୁଳ ମାର୍ଗ ମାଡ଼ିଲା ନାହିଁ । ରାଧାଙ୍କ ପାଖରେ କ୍ଷୋଭ ପ୍ରକାଶ କଲା । କବି କହୁଛନ୍ତି- ମନରୁ ସମସ୍ତ ପ୍ରକାର ଅବିଗୁଣ ଛାଡ଼ି ଚଉତିଶାକୁ ଶୁଣ । କ୍ଷମାସାଗର କୃଷ୍ଣ ଲୋକମାତା ରାଧାଙ୍କ ଚରଣ ତଳେ କବି ଦୀନକୃଷ୍ଣ ଶରଣ ପଶିଲେ ।

Image